Webportal

ଉଚ୍ଚଶିକ୍ଷା ଦିଆଯାଉଛି ଏମିତି: ବିଶ୍ଵବିଦ୍ୟାଳୟ ର ୨୩ରୁ ୨୦ ବିଭାଗରେ ନାହାନ୍ତି ପ୍ରଫେସର; ଖାଲି ପଡ଼ିଛି ୭୫ ଅଧ୍ୟାପକ ପଦ

ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟ କେବଳ ଭାଷଣ ପର୍ଯ୍ୟନ୍ତ ସୀମିତ

0 227

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ (ଜିଏମ୍‌ୟୁ)ରେ ଏବେ ଶିକ୍ଷକ ମରୁଡ଼ି। ପ୍ରଫେସର, ଅଧ୍ୟାପକ ସବୁ ପଦ ଖାଲି ପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ ଗତ କିଛି ବର୍ଷ ହେଲା ଅତିଥି ଅଧ୍ୟାପକଙ୍କ ଭରସାରେ ଶିକ୍ଷାଦାନ ଚାଲିଛି। ତେବେ, କେତେକ କାରଣରୁ ଶିକ୍ଷାବର୍ଷ ଆରମ୍ଭ ହେବାର ଅନେକ ମାସ ବିତିବା ପରେ ଏଥର ଅତିଥି ଅଧ୍ୟାପକ ମଧ୍ୟ ନିଯୁକ୍ତି ହୋଇପାରି ନାହିଁ। ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସୂଚନା ଅନୁସାରେ, ଗଂଗାଧର ମେହେର ବିଶ୍ବବିଦ୍ୟାଳୟରେ ୨୩ଟି ବିଭାଗ ରହିଛି। ଯୁକ୍ତ ୩ ତିନିରୁ ପିଏଚ୍‌ଡି ପାଠ୍ୟକ୍ରମ ପର୍ଯ୍ୟନ୍ତ ଏବେ ୬୨୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ୨୩ଟି ବିଭାଗ ମଧ୍ୟରୁ ୨୦ଟି ବିଭାଗରେ ଜଣେ ବି ପ୍ରଫେସର ନାହାନ୍ତି। ଅର୍ଥାତ, ୨୦ଟି ବିଭାଗ ପ୍ରଫେସର ଶୂନ୍ୟ ରହିଛି। କେବଳ ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ ଏବଂ ହିନ୍ଦୀ ବିଭାଗରେ ଜଣେ ଲେଖାଏଁ ପ୍ର‌ଫେସର ଅଛନ୍ତି। ତ‌େବେ, ହିନ୍ଦୀ ବିଭାଗର ପ୍ରଫେସର ସଦନ କୁମାର ପାଲ ଆସନ୍ତା ନଭେମ୍ବର ମାସରେ ଚାକିରିରୁ ଅବସର‌ ନେବେ। ଅର୍ଥାତ, ଆଗାମୀ କିଛି ଦିନ ପରେ ହିନ୍ଦୀ ବିଭାଗ ବି ପ୍ରଫେସର ଶୂନ୍ୟ ହୋଇଯିବ। ଅପରପକ୍ଷରେ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ପାଇଁ ମଂଜୁରିପ୍ରାପ୍ତ ୧୪୪ ଅଧ୍ୟାପକ ପଦ ଥିବା ବେଳେ ବର୍ତ୍ତମାନ ମାତ୍ର ୬୯ ଜଣ ନିୟମିତ ଅଧ୍ୟାପକ କାର୍ଯ୍ୟରତ ଅଛନ୍ତି।

ଏହା ବ୍ୟତୀତ ୧୪ ଜଣ ଅଧ୍ୟାପକ ଡେପୁଟେସନ୍‌ରେ ଆସି ଏଠାରେ ଶିକ୍ଷାଦାନ କରୁଛନ୍ତି। ଡେପୁଟେସନରେ ଥିବା ଏହି ୧୪ଜଣ ଅଧ୍ୟାପକଙ୍କୁ ଅନ୍ୟ ସରକାରୀ କଲେଜଗୁଡ଼ିକୁ ପଠାଯିବାର ଯୋଜନା ରହିଛି। ନିୟମିତ ଓ ଡେପୁଟେସନ୍‌ରେ ଆସିଥିବା ଅଧ୍ୟାପକଙ୍କୁ ମିଶାଇ ସର୍ବମୋଟ ୮୩ ଜଣ ଅଧ୍ୟାପକ ଏବେ ମାତ୍ରାଧିକ ଚାପ ମଧ୍ୟରେ ଶିକ୍ଷାଦାନ କରୁଛନ୍ତି। ଅପରପକ୍ଷରେ ଅନ୍ୟ ୭୫ ଅଧ୍ୟାପକ ପଦ ଖାଲି ରହିଛି। ଏହି ଖାଲି ପଦରେ ନିଯୁକ୍ତି ହୋଇପାରି ନାହିଁ। ଏପଟେ ଅତିଥି ଅଧ୍ୟାପକ ନିଯୁକ୍ତିଦେଇ କିଛି ମାତ୍ରାରେ ଖାଲି ପଦ ପୂରଣ କରାଯାଇଥାଏ। ଚଳିତ ଶିକ୍ଷାବର୍ଷରେ କିନ୍ତୁ ଅତିଥି ଅଧ୍ୟାପକ ବି ନିଯୁକ୍ତି ହୋଇପାରି ନାହିଁ। ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ସାକ୍ଷାତକାର ସରିଥିବା ଅକ୍ଟୋବର ମାସ ମଧ୍ୟରେ ସେମାନଙ୍କୁ ନିଯୁକ୍ତି ଦିଆଯିବ ବିଶ୍ବବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ରେଭେନ୍‌ସା ବିଶ୍ବବିଦ୍ୟାଳୟ ମାତ୍ର ୨୧ଟି ବିଭାଗ ପାଇଁ ୨୫୮ଟି ମଂଜୁରୀପ୍ରାପ୍ତ ଅଧ୍ୟାପକ ପଦ ଥବା ବେଳେ ଗଂଗାଧର ମେହେର ବିଶ୍ବବିଦ୍ୟାଳୟରେ ୨୩ଟି ବିଭାଗ ନିମନ୍ତେ ସମୁଦାୟ ୧୪୪ଟି ମଂଜୁରୀପ୍ରାପ୍ତ ଅଧ୍ୟାପକ ପଦ ରହିଛି। ପୁଣି ରେଭେନ୍‌ସାରେ ପ୍ରାୟ ସବୁ ବିଭାଗରେ ପ୍ରଫେସର ରହିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଏବେ ସମ୍ବଲପୁର ଜିଲ୍ଲାର ହୋଇଥିବା ବେଳେ ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.