Webportal

ପନ୍ଦର ବର୍ଷ ଲାଗିଲା ହାଉସିଂ ବୋର୍ଡ ଘର ପାଇଁ ଶିଳାନ୍ୟାସ ହେବାକୁ, କିନ୍ତୁ ଘରର ଧାର୍ଯ୍ୟ ବିକ୍ରିମୂଲ୍ୟ ସୃଷ୍ଟିକଲା ନାନା ସନ୍ଦେହ

0 346

ଅନୁଗୁଳରେ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟଅତିଥି, ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ।
ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ଦ୍ୱାରା ବିସ୍ଥାପିତ ହେଉଥିବା ପରିବାର ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଉପକୃତ ହେବେ ବୋଲି ମନ୍ତ୍ରୀ ଜେନା ପ୍ରକାଶ କରିଥିଲେ,ଯାହା ପୁରା ମାତ୍ରାରେ ଗ୍ରହଣୀୟ ନୁହେଁ। ଅନୁଗୁଳ ବ୍ୟତୀତ ଅନ୍ୟ ଜିଲାରେ ମଧ୍ୟ ଏହିଭଳି ପ୍ରକଳ୍ପ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଅନୁଗୋଳରେ ପ୍ରଥମ ପର୍ଯ୍ୟାୟରେ ୩୩୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୮୨ ଘର ନିର୍ମାଣ ହେବ। ୨୮୨ଟି ଘର ମଧ୍ୟରୁ ୧୨୬ କେବଳ ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ପରିବାର ପାଇଁ ଉଦ୍ଦିଷ୍ଟ ରହିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟଅତିଥି ବିଧାୟକ ସିଂହ କହିଥିଲେ, ଦୀର୍ଘ ୧୫ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୦୪ରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅଟ୍ଟାଳିକା ନିର୍ମାଣ ନିମନ୍ତେ ପରିକଳ୍ପନା କରାଯାଇଥିଲା। ଶେଷରେ ଏହି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ପଡ଼ିଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହର ଉପକଣ୍ଠରେ ହେଉଥିବା ଏହି ଆପାର୍ଟମେଣ୍ଟରେ ଅନେକ ପରିବାର ରହିବା ଦ୍ୱାରା ସେଠାରେ ଏକ ଉତ୍ତମ ଭାଇଚାରା ଓ ସଂସ୍କୃତି ଗଢ଼ି ଉଠିବ ବୋଲି କହିଥିଲେ। ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ କମିଶନର ତଥା ସଚିବ ଗଙ୍ଗାଧର ପାତ୍ର ପ୍ରକଳ୍ପର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଯନ୍ତ୍ରୀ ମଦନ ମୋହନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।କିନ୍ତୁ ଏହି ନିର୍ମାଣ ହେବାକୁ ଥିବା ଘର ଗୁଡିକର ମୂଲ୍ୟ ଯଥେଷ୍ଟ ଅଧିକ ରଖାଯାଇଥିବା ଜଣାପଡ଼ୁଛି, ଯାହା ସରକାରଙ୍କ ଦ୍ଵାରା ସାଧାରଣ ଲୋକଙ୍କୁ ବ୍ୟବସାୟୀ ଭଳି ଯଥେଷ୍ଟ ଅଧିକ ଲାଭରେ ବିକ୍ରି କରିବାକୁ ଚେଷ୍ଟା କଲା ଭଳି ଲାଗୁଛି କିମ୍ବା ପୁରା ପ୍ରକ୍ରିୟାରେ କେଉଁଠି ଭରପୁର ପିସି କାରବାରର ସନ୍ଦେହ ସୃଷ୍ଟି କରୁଛି।

Leave A Reply

Your email address will not be published.