ଗୁରୁଜାଙ୍ଗଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ଗୁରୁଜାଙ୍ଗ ହେବ 'ଐତିହ୍ୟ ଗ୍ରାମ' ଓ 'ଆଦର୍ଶ ପଞ୍ଚାୟତ'
ଅନୁଗୋଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗଠାରେ ଆଜି ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାମୀଜୀଙ୍କ ସ୍ମୃତିପୂତ ଗୁରୁଜାଙ୍ଗ ଗ୍ରାମକୁ ‘ଐତିହ୍ୟ ଗ୍ରାମ’ ଏବଂ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସଭାକୁ ସମ୍ବୋଧିତ କରି ସେ ସ୍ୱାମୀଜୀଙ୍କୁ ସମାଜର ‘ଗୁରୁ, ଗ୍ରନ୍ଥ ଏବଂ ଗରିମା’ ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ, ସ୍ୱାମୀଜୀ କନ୍ଧମାଳର ଦୁର୍ଗମ ଅଞ୍ଚଳରେ ଚକାପାଦ ଓ ଜଲେଶପଟ୍ଟା ଆଶ୍ରମ ପ୍ରତିଷ୍ଠା କରି ବନବାସୀ ଝିଅମାନଙ୍କୁ ସଂସ୍କୃତ ଶିକ୍ଷା ଓ ସଂସ୍କାରରେ ସ୍ୱାବଲମ୍ବୀ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ’ ଆଦର୍ଶ ମଧ୍ୟରେ ସ୍ୱାମୀଜୀଙ୍କ ଅନ୍ତ୍ୟୋଦୟ ବିଚାରଧାରା ନିହିତ ଅଛି ବୋଲି ସେ କହିଥିଲେ। ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଧ୍ୟାତ୍ମିକ ଓ ସାମାଜିକ ଅବଦାନର ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ସମାଜକୁ ଆହ୍ୱାନ ଦେଇଥିଲେ। ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ସ୍ୱାମୀଜୀଙ୍କ ଅବଦାନ ଦ୍ୱାରା ଅଞ୍ଚଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୌରବ ଆହୁରି ବୃଦ୍ଧି ପାଇବ ବୋଲି କହିଥିଲେ। ଏହି ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ,ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ପ୍ରମୁଖ ଜନପ୍ରତିନିଧି ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଳ ଜୈନଙ୍କ ସମେତ ବହୁ ସାଧୁସନ୍ଥ, ମାନ୍ୟଗଣ୍ୟ ଅତିଥି , ଜିଲ୍ଲା ସ୍ତରୀୟ ଅଧିକାରୀ ,ଗଣମାଧ୍ୟମ ପ୍ରତିନିଧି ଓ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।