ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଲୁହାମୁଣ୍ଡା ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ଦିଲଖୁସ୍ ବସ୍ ଆଗରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ରୁ ୨୦ ଜଣ ଆହତ ହୋଇଛନ୍ତି।ଗତ ରାତି ପ୍ରାୟ ୨ରୁ ୩ଟା ସମୟରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଲୁହାମୁଣ୍ଡା ନିକଟରେ ଏହି ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଦିଲଖୁସ୍ ଯାତ୍ରୀବାହୀ ବସ୍ଟି ଆଗରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇ ଆହତମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଦୁର୍ଘଟଣାରେ ପ୍ରାୟ ୧୮ରୁ ୨୦ ଜଣ ଆହତ ହୋଇଥିବା ବେଳେ ୧୫ ଜଣ ଗୁରୁତର ଥିଲେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୪ ଜଣ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକସ୍ଥ ସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।