Webportal

ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ:ଟ୍ୱିଟର ଓ ୟୁଟ୍ୟୁବକୁ ଲିଙ୍କ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

0 332

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୦୦୨ ମସିହା ଗୁଜରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରୀକୁ ନେଇ ଭାରତରେ ହଇଚଇ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ବିବିସି ଡକ୍ୟୁମେଣ୍ଟାରୀର ଲିଙ୍କକୁ ସୋଶାଲ ମିଡିଆରୁ ତୁରନ୍ତ ହଟାଇବାକୁ ଟ୍ୱିଟର ଓ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର।

ସୂଚନା ଅନୁସାରେ, ଅନେକ ଲୋକ ବିବିସିର ଡକ୍ୟୁମେଣ୍ଟାରୀ ଲିଙ୍କକୁ ଶେୟାର କରିଥିଲେ। ହେଲେ ଏହା ମୋଦିଙ୍କ ଛବିକୁ ମଳିନ କରିବାକୁ ଗୋଟିଏ ଷଡ଼ଯନ୍ତ୍ର ବୋଲି କେନ୍ଦ୍ର ସରକାର କହିଛନ୍ତି। ଏଥିପାଇଁ ସୋଶାଲ ମିଡିଆ କମ୍ପାନୀଗୁଡ଼ିକୁ ଏହାକୁ ତୁରନ୍ତ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କେନ୍ଦ୍ରର ନିର୍ଦ୍ଦେଶ ପରେ ଅନେକ ଟ୍ୱିଟର ଆକାଉଣ୍ଟ ଓ ୟଟ୍ୟୁବରେ ରହିଥିବା ବିବିସିର ଡକ୍ୟୁମେଣ୍ଟାରୀ ଲିଙ୍କ ଡିଲିଟ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବିବିସି ପକ୍ଷରୁ India: The Modi Question ନାଁରେ ଡକ୍ୟୁମେଣ୍ଟାରୀ ତିଆରି ହୋଇଥିଲା। ଏଥିରେ ତତ୍କାଳୀନ ବ୍ରିଟେନ ସରକାର କରିଥିବା ତଦନ୍ତ ରିପୋର୍ଟକୁ ଉଲ୍ଲେଖ କରାଯାଇଥିଲା। ଏଥିସହ ରିପୋର୍ଟରେ ହିନ୍ଦୁ ମୌଳବାଦୀ ଚିନ୍ତାଧାରାର ସଂଗଠନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଜରାଟ ଦଙ୍ଗା ପାଇଁ ସିଧାସଳଖ ଦାୟୀ କରାଯାଇଥିବା ବିବିସି ତା’ର ଡକ୍ୟୁମେଣ୍ଟାରୀରେ ଦାବି କରିଛି।

ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦୁଇ ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର ଓ ୟୁଟ୍ୟୁବକୁ ବିବିସି ଜାରି କରିଥିବା ଡକ୍ୟୁମେଣ୍ଟାରୀର ପ୍ରଥମ ଏପିସୋଡ ବ୍ଲକ କରିବାକୁ କହିଛି। ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟରକୁ କୁହାଯାଇଛି ଯେ ୫୦ରୁ ଅଧିକ ଟ୍ୱିଟର ଆକାଉଣ୍ଟରୁ ବିବିସି ତିଆରି କରିଥିବା ଅପପ୍ରଚାର ସମ୍ପର୍କିତ ଡକ୍ୟୁମେଣ୍ଟାରୀକୁ ଶେୟାର କରାଯାଇଛି। ତେଣୁ ଏଗୁଡ଼ିକର ଲିଙ୍କକୁ ବ୍ଲକ କରାଯାଉ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ Information Technology Rules, 2021 ବଳରେ ଏପରି ନିର୍ଦ୍ଦେଶ ଦେଇଛି। ଏହାକୁ ପାଳନ କରିବାକୁ ମଧ୍ୟ ଟ୍ୱିଟର ଓ ୟୁଟ୍ୟୁବ ରାଜି ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.