କଟକସ୍ଥିତ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଅବ୍ୟବସ୍ଥା ନେଇ ସାଂଘାତିକ ତଥ୍ୟ
୮୯ଟି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ସମ୍ପୂର୍ଣ୍ଣ ଅଚଳ
ଗଣମାଧ୍ୟମ ଖବର ଅନୁଯାୟୀ କଟକସ୍ଥିତ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଅବ୍ୟବସ୍ଥା ନେଇ ସାଂଘାତିକ ତଥ୍ୟ ଆସିଛି।୨୦୨୫ ମସିହା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏସସିବି ମେଡିକାଲରେ ମୋଟ ୮୯ଟି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି । ଓଡ଼ିଶା ରାଜ୍ୟ ମେଡିକାଲ ନିଗମ(OSMC) ଦ୍ୱାରା ସୂଚନା ଅଧିକାର (RTI) ଆଇନ୍ ବଳରେ ସୂଚନାକର୍ମୀ ପ୍ରଦୀପ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।ରୋଗୀଙ୍କ ଜୀବନ ବଞ୍ଚାଇବା ଦିଗରେ ଏହି ଯନ୍ତ୍ରାଂଶଗୁଡ଼ିକର ବିଶେଷ ଆବଶ୍ୟକତା ଥିବା ସତ୍ତ୍ୱେ ଏହା କାମ ନକରିବା ରାଜ୍ୟରେ ସ୍ୱାସ୍ଥ୍ୟସେବାର ବାସ୍ତବ ଓ ନଗ୍ନ ଚିତ୍ରକୁ ପଦାକୁ ଆଣିଛି।ଭେଣ୍ଟିଲେଟର୍ ସଙ୍କଟ: ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଉଥିବା ‘ଭେଣ୍ଟିଲେଟର୍, ICU’ ଏବଂ ‘ନିଓନାଟାଲ୍ ଭେଣ୍ଟିଲେଟର୍’ ସମେତ ୯ରୁ ଅଧିକ ଭେଣ୍ଟିଲେଟର୍ କାମ କରୁନାହିଁ। ଏହି ଅଚଳ ଭେଣ୍ଟିଲେଟର୍ ଗୁଡ଼ିକ କେନ୍ଦ୍ରୀୟ ICU , କୋଭିଡ୍ ହସ୍ପିଟାଲ୍ , ମେଡିସିନ୍ ICU , SNCU , ଟ୍ରମା ICU , ଏବଂ ଟ୍ରମା ଶିଶୁ ICU ଭଳି ଅତ୍ୟାବଶ୍ୟକ ବିଭାଗରେ ରହିଛି।ଅସ୍ତ୍ରୋପଚାର କକ୍ଷରେ ଅବ୍ୟବସ୍ଥା ମଧ୍ୟ ରହିଛି।ଅସ୍ତ୍ରୋପଚାର (OT) ପାଇଁ ଆବଶ୍ୟକ ‘ସି ଆର୍ମ ଇମେଜ୍ ଇଣ୍ଟେନସିଫାୟର୍’ (C ARM IMAGE INTENSIFIER, BASIC) , ‘ଆନାସ୍ଥେସିଆ ୱାର୍କଷ୍ଟେସନ୍’ (ANAESTHESIA WORKSTATION) , ଏବଂ ‘ଅପରେଟିଂ ଟେବୁଲ୍’ (OPERATING TABLE, ELECTRONIC) ପରି ମୂଲ୍ୟବାନ ଯନ୍ତ୍ରାଂଶ ଅଚଳ ହୋଇପଡ଼ିଛି ।ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ ଅଚଳ ମଧ୍ୟ।ରାଜ୍ୟରେ ନୂଆ କରି ଆରମ୍ଭ କରାଯାଇଥିବା ‘ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍’ରେ ୬ଟି ‘ସିରିଞ୍ଜ୍ ଇନଫ୍ୟୁଜନ୍ ପମ୍ପ୍’ (SYRINGE INFUSION PUMP) ଏବଂ ଗୋଟିଏ ‘ଆନାସ୍ଥେସିଆ ୱାର୍କଷ୍ଟେସନ୍’ ଅଚଳ ହୋଇପଡ଼ିବା ଚିନ୍ତାର ବିଷୟ।ବିଦେଶୀ କମ୍ପାନୀର ମହଙ୍ଗା ଯନ୍ତ୍ରାଂଶ ବି ଖରାପ।ଅଚଳ ହୋଇଥିବା ଅଧିକାଂଶ ଯନ୍ତ୍ରାଂଶ ବିଦେଶୀ ତଥା ନାମୀଦାମୀ କମ୍ପାନୀ ଯଥା NIHON KOHDEN (ଜାପାନ), ROCHE, BIO RAD LABORATORY, MAQUET ଏବଂ MEDITEC ENGLAND ଆଦିରୁ କିଣାଯାଇଥିଲା। ଏହାବ୍ୟତୀତ ALLIED ଓ Allengers Medical Systems Ltd ଭଳି କମ୍ପାନୀର ଉପକରଣ ମଧ୍ୟ ଅଚଳ ହୋଇ ପଡ଼ିରହିଛି। ମହଙ୍ଗା ମୂଲ୍ୟ ଦେଇ କିଣାଯାଇଥିବା ଏହି ଉପକରଣଗୁଡ଼ିକର ସଠିକ୍ ରକ୍ଷଣାବେକ୍ଷଣ (Maintenance) କରାଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।