ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଡାିରେକ୍ଟୋରେଟ୍ ଅଫ୍ ପ୍ରସିକୁସନ୍ ସହଯୋଗରେ ଆଜି ଅନୁଗୋଳରେ ଏକ ପୋଲିସ–ଅଭିଯୋଜନ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ତଦନ୍ତକାରୀ ଓ ଅଭିଯୋଜନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା, ଗତ ଦୁଇ ବର୍ଷର ଗୁରୁତର ଅପରାଧ ମାମଲାଗୁଡ଼ିକର ତଦନ୍ତ ଓ ଫଳାଫଳର ସମୀକ୍ଷା କରିବା ଏବଂ ମାମଲାଗୁଡ଼ିକର ଶୀଘ୍ର ଫଇସଲା ସହିତ ପୀଡ଼ିତ ଓ ସାଧାରଣ ଲୋକଙ୍କୁ ସମୟୋଚିତ ନ୍ୟାୟ ପ୍ରଦାନ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ବିଏନଏସ, ଆଇପିସି, ପୋସ୍କୋ ଆକ୍ଟ ଏବଂ ଏସି/ଏଷ୍ଟି ( ପିଓଏ) ଆକ୍ଟ୍ ଅନ୍ତର୍ଗତ ୨୦ଟି ଗୁରୁତର ମାମଲାରେ ଦୋଷୀ ସାବ୍ୟସ୍ତ କରାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୧ ଜଣ ପୋଲିସ ଅଧିକାରୀ ଓ ୨୩ ଜଣ ସରକାରୀ ଅଭିଯୋଜକଙ୍କୁ ସମ୍ମାନିତ କରାଯାଇଥିଲା।ଏହି ବୈଠକରେ ଓଡ଼ିଶାର ଡାଇରେକ୍ଟର ଅଫ ପବ୍ଲିକ ପ୍ରସିକୁସନ୍ଭୁବନେଶ୍ୱର ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ, ଏନସିଆର
ତାଳଚେରର ଡିଆଇଜି ଅଫ ପୋଲିସ ଶ୍ରୀ ଆଶିଷ କୁମାର ସିଂହ, ଅନୁଗୋଳ ଏସପି ଶ୍ରୀ ରାହୁଲ ଜୈନ, ଅନୁଗୋଳ ଡିଏଫଓ ଶ୍ରୀ ନୀତିଶ କୁମାର, ଏଡିଏମ୍ ଶ୍ରୀ ପ୍ରତାପ ପ୍ରୀତିମୟ, ଏବଂ ଡି ଡି ପି, ଅନୁଗୋଳ ଶ୍ରୀ ଗଣେଶ କୁମାର ବେହେରା, ଉପସ୍ଥିତ ଥିଲେ।ଓଡ଼ିଶାର ଡାରେକ୍ଟୋରେଟ୍ ଅଫ୍ ପବଲିକ୍ ପ୍ରସିକୁସନ୍ ଅନୁଗୋଳ ପୋଲିସର ପ୍ରୟାସକୁ ପ୍ରଶଂସା କରି ଅନୁଗୋଳ ଜିଲ୍ଲାକୁ ପୋଲିସ–ଅଭିଯୋଜନ ସମନ୍ୱୟ ଏବଂ ଦୋଷସିଦ୍ଧି କ୍ଷେତ୍ରରେ ଏକ ଅଗ୍ରଣୀ ଉଦାହରଣ ଭାବେ ବର୍ଣ୍ଣନା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ୬୮% ଦୋଷସିଦ୍ଧି ହାର ସହ ଅନୁଗୋଳ ଜିଲ୍ଲା ଓଡ଼ିଶାରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ, ଦୋଷସିଦ୍ଧିର ସମ୍ପୂର୍ଣ୍ଣ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି।ସେ ଅନୁଗୋଳ ଏସପି ଶ୍ରୀ ରାହୁଲ ଜୈନଙ୍କ ନେତୃତ୍ୱ ଗୁଣ, ନିକଟ ତଦାରଖ ଓ ମାର୍ଗଦର୍ଶନକୁ ବିଶେଷ ଭାବେ ପ୍ରଶଂସା କରି ଏହି ସଫଳତା ପଛରେ ତାଙ୍କ ନେତୃତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ କାରକ ବୋଲି ଉଲ୍ଲେଖ କରିଥିଲେ।ବୈଠକରେ ଅନୁଗୋଳ ପୋଲିସ ଜିଲ୍ଲାର ସମସ୍ତ ଏସ ଡି ପି ଓ ଓ ସମସ୍ତ ଥାନାର ଆଇସିସି ଙ୍କ ସମେତ ସରକାରୀ ଅଭିଯୋଜକ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।