Webportal

ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମର ପ୍ରଥମ ଦିନରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ସହ କ୍ରୀଡ଼ା ପ୍ରଦର୍ଶନୀ ଅନୁଷ୍ଠିତ

0 41

କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଗୋଳ ଇଣ୍ଡୋର ଷ୍ଟାଡିୟମ୍‌ଠାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ସମାରୋହ ଆୟୋଜିତ ହୋଇଯାଇଛି। ଆଜିଠାରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଦିବସରେ ଭାରତୀୟ ହକିର ମହାନ୍ ତାରକା ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଂସଦର ବରିଷ୍ଠ ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘ବିକଶିତ ଭାରତ’ ଗଠନରେ ଯୁବସମାଜ ଓ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ ସିଠ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହ ୨୦୩୬ ଓଲିମ୍ପିକ୍ସ ପାଇଁ ଆଜିଠାରୁ ସୁଦୃଢ଼ ପ୍ରସ୍ତୁତି କରି ନିଜର ସ୍ଥାନ ପକ୍କା କରିବାକୁ ଆହ୍ୱାନ ଦେଇଥିଲେ। ଉତ୍ସବରେ ଜିଲ୍ଲାର ହକି, ବ୍ୟାଡ୍‌ମିଣ୍ଟନ୍‌, ୱୁଶୁ (Wushu) ଆଦି ବିଭିନ୍ନ ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରି ନିଜ ନିଜ କ୍ରୀଡ଼ାର ସ୍ୱତନ୍ତ୍ରତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ୱୁଶୁ ଆସୋସିଏସନ୍‌ର ସମ୍ପାଦକ ତଥା ଅନ୍ତର୍ଜାତୀୟ ଜଜ୍ ଶ୍ରୀ ସୁଶାନ୍ତ ନାଏକ, ଅନ୍ତର୍ଜାତୀୟ ୱୁଶୁ ଖେଳାଳି ଶ୍ରୀ ବାବୁଲ ମୁଣ୍ଡା, ବ୍ୟାଡ୍‌ମିଣ୍ଟନ୍ କୋଚ୍ ଶ୍ରୀ ବିଶ୍ୱଜିତ୍ ଦାସ, ଶ୍ରୀ ବାବୁଲ ପ୍ରସାଦ ମହାନ୍ତି, ଶ୍ରୀ ଅରୁଣ ନାଏକ, ଶ୍ରୀ ବିନୋଦ ନାଏକ ଏବଂ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସମାରୋହର ଶେଷରେ ‘ମେରା ଯୁବ ଭାରତ’ (ଅନୁଗୋଳ)ର ଅତିରିକ୍ତ ଜିଲ୍ଲା ସଂଯୋଜକ ଶ୍ରୀ ତପନ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.