Webportal

ସିବିଆଇ ର ପର ଏବେ ଗେରୁଆ ହୋଇଗଲାଣି: କପିଲ୍‌ ସିବଲ୍‌

0 133

ପୂର୍ବତନ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ କପିଲ୍‌ ସିବଲ୍‌ ଆଜି ତାଙ୍କର ପ୍ରସିଦ୍ଧ ଉକ୍ତି ‘ସିବିଆଇ’ ଗୋଟାଏ ‘ପିଞ୍ଜରାବଦ୍ଧ ଶୁଆ’ କଥା ସ୍ମରଣ କରି କହିଛନ୍ତି ଯେ, ପର ଗେରୁଆ ହୋଇ ଯାଇଥିବା ଉକ୍ତ ଶୁଆକୁ ଏବେ ପିଞ୍ଜରାମୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ‘ସିବିଆଇ’ ‘ପିଞ୍ଜରାବଦ୍ଧ ଶୁଆ’ ୨୦୧୩ରେ ସିବଲ୍‌ ସୁପ୍ରିମ୍‌ କୋର୍ଟରେ କହିଥିଲେ।

ଅବକାରୀ ନୀତି ସଂକ୍ରାନ୍ତରେ ତଦନ୍ତ‌ କରୁଥିବା ‘ସିବିଆଇ’ ଶୁକ୍ରବାର ଦିନ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ପ୍ରାୟ ୧୬ ଘଣ୍ଟା ଧରି ଖାନ୍‌ତଲାସ କରିବା ଘଟଣାକୁ ସମାଲୋଚନା କରି ସିବଲ୍‌ ଆଜି ତାଙ୍କର ପୁରାତନ ଉକ୍ତି ଦୋହରାଇଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ଦିନେ ପିଞ୍ଜରାବଦ୍ଧ ଥିବା ଶୁଆ ଏବଂ ପିଞ୍ଜରାମୁକ୍ତ। ଏବେ ତା’ର ପର ଗେରୁଆ ରଙ୍ଗ ପାଲଟି ଗଲାଣି। ପ୍ରବର୍ତ୍ତନ ନିର୍ଦେଶାଳୟ ହେଉଛି ତା’ର ଡେଣା। ତା’ର ଖାଉନ୍ଦ ଯାହା କହୁଛି ସେ ତାହା ହିଁ କହୁଛି।

ମନୀଷ ସିସୋଦିଆଙ୍କ ଘରେ ‘ସିବିଆଇ’ ଚଢ଼ାଉ ଘଟଣାକୁ କଂଗ୍ରେସ ସମାଲୋଚନା କରି ନ ଥିବା ବ‌େଳେ କପିଲ୍ ସିବଲ୍‌ କହିଛନ୍ତି, କେଜ୍ରିୱାଲ୍‌ଙ୍କର ଉତ୍ଥାନ ଦେଖି ‘ବିଜେପି’ ‘ଆପ୍‌’କୁ ବଦନାମ କରିବାକୁ ଉଦ୍ୟମ କରୁଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ‘ସିବିଆଇ’ ସିସୋଦିଆଙ୍କ ଘରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଥିଲା। ତାଙ୍କ କମ୍ପ୍ୟୁଟର୍‌ ଓ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଥିବା କଥା ସିସୋଦିଆ କହିଛନ୍ତି।

Leave A Reply

Your email address will not be published.