Webportal

ରାଜସ୍ଥାନର ମୁଖ୍ୟମନ୍ତ୍ରୀ‌ଙ୍କ ବଡ଼ଭାଇ ଘରେ ‘ସିବିଆଇ’ ଚଢ଼ାଉ

0 237

୨୦୦୭ ସାର ଦୁର୍ନୀତି ମାମଲାରେ ଆଜି ସକାଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କ ବଡ଼ଭାଇ ଅଗ୍ରସେନ ଗେହ୍‌ଲଟ୍‌ଙ୍କ ଯୋଧପୁରସ୍ଥିତ ବାସଭବନ ଏବଂ ବ୍ୟବସାୟ କାର୍ଯ୍ୟାଳୟରେ ‘ସିବିଆଇ’ ଚଢ଼ାଉ କରି ଖାନ୍‌ତଲାସ ଚଳାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଦିଲ୍ଲୀରୁ ଯାଇଥିବା ସିବିଆଇର ଗୋଟିଏ ଟିମ୍‌ ଆଜି ସକାଳ ୭.୩୦-୮ଟା ମଧ୍ୟରେ ଅଗ୍ରସେନଙ୍କ ଘରେ ଏବଂ ଆଉ ଗୋଟିଏ ଟିମ୍‌ ତାଙ୍କ ଦୋକାନରେ ପହଞ୍ଚିଥିଲେ।

ସାର ରପ୍ତାନି ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗରେ ମଧ୍ୟ ଅଗ୍ରସେନ୍‌ ଗେହ୍‌ଲଟ୍‌ ପ୍ରବର୍ତ୍ତନ ନିର୍ଦେଶାଳୟ ଦୃଷ୍ଟିରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଛି ଯେ, ୨୦୦୭ ଏବଂ ୨୦୦୯ରେ ବେଆଇନ ଭାବେ ବିପୁଳ ପରିମାଣର ସାର ରପ୍ତାନି ହୋଇଥିଲା।

ସାର ମାମଲାରେ, ପ୍ରବର୍ତ୍ତନ ନିର୍ଦେଶାଳୟ ‘ସରଫ୍‌ ଇମ୍ପେକ୍ସ୍‌’ ଏବଂ ଅନ୍ୟାନ୍ୟ କମ୍ପାନିଗୁଡ଼ିକ ନାମରେ ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌’ରେ ତଦନ୍ତ ଆରମ୍ଭ କରିଛି। ଅଗ୍ରସେନ ଗେହ୍‌ଲଟ୍‌ଙ୍କ ମାଲିକାନାରେ ଥିବା ‘ଅନୁପମ କୃଷି’ କମ୍ପାନି ‘ସରଫ ଇମ୍ପେକ୍ସ୍‌’ ଜରିଆରେ ପଟାସ ରପ୍ତାନି କରିଥିବା ଅଭିଯୋଗ ହୋଇଥିଲା। ପରେ ଉକ୍ତ ସାରକୁ ‘ଇଣ୍ଡଷ୍ଟ୍ରିଆଲ୍‌ ସଲ୍‌ଟ୍‌’ ବୋଲି ଦର୍ଶାଇ ମାଲେସିୟା ଏବଂ ସିଙ୍ଗାପୁରକୁ ରପ୍ତାନି କରାଯାଇଥିଲା।

ରପ୍ତାନି ହୋଇଥିବା ସାର ରାଜସ୍ଥାନର କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି।

Leave A Reply

Your email address will not be published.