Webportal

୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ମାନସ ଓ ସୁଲତାଙ୍କୁ ମିଳିଲା ଆନୁଗତ୍ୟର ପୁରସ୍କାର

0 224

କଳ୍ପନାଜଳ୍ପନାର ଅନ୍ତ ଘଟି ଘୋଷଣା ହେଲା ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ । ବିଜେଡି ପକ୍ଷରୁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରିପିଟ କରାଯାଇଛି ।

ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି ମୁଖପାତ୍ର ସୁଲତା ଦେଓ ଓ ପଶ୍ଚିମ ଓଡ଼ିଶାର ଆଦିବାସୀ ଚେହେରା ନିରଞ୍ଜନ ବିଷି ରହିଛନ୍ତି । ଏହି ୪ଜଣଙ୍କୁ ବିଜେଡି ପକ୍ଷରୁ ଆଗାମୀ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ କରାଯାଇଛି । ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ବିଜେଡି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ରହିଛି । ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଥିବାବେଳେ କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଯାହାପରେ ଓଡିଶାରୁ ମୋଟ ୪ଟି ଆସନ ଖାଲି ରହିଛି ।

ସେହିପରି ରାଜ୍ୟସଭା ନିର୍ବାଚନ ଲାଗି ଗତ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାସହ ନାମାଙ୍କନ ଦାଖଲ ସମୟ ମଧ୍ୟ ଆରମ୍ଭ ହୋଇଥିଲା। ସେପଟେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳ ଏଯାଏ ପ୍ରାର୍ଥୀ ଚୟନ କରିନାହାନ୍ତି ।

Leave A Reply

Your email address will not be published.