Webportal

୨୦୨୩ରେ ବିଶ୍ବର ସବୁଠୁ ଅଧିକ ଜନବହୁଳ ଦେଶ ହୋଇପାରେ ଭାରତ: ଜାତିସଂଘ

0 136

ଆସନ୍ତାବର୍ଷ ଜନସଂଖ୍ୟାରେ ଭାରତ ଚୀନ୍‌କୁ ଟପିଯାଇ ପାରେ ବୋଲି ଆଜି ଜାତିସଂଘଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହାଛଡ଼ା, ଚଳିତ ବର୍ଷ ନଭେମ୍ବର ମଧ୍ୟଭାଗ ସୁଦ୍ଧା ବିଶ୍ବଜନସଂଖ୍ୟା ମଧ୍ୟ ୮ ୦୦ କୋଟିରେ ପହଞ୍ଚିଯିବ ବୋଲି ଜାତିସଂଘ ପୂର୍ବାନୁମାନ କରିଛି।

ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ୨୦୨୩ ବେଳକୁ ଚୀନ୍‌କୁ ଅତିକ୍ରମ କରି ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ହୋଇଯାଇପାରେ। ୨୦୨୨ରେ ବିଶ୍ବର ୨ଟି ଜନବହୁଳ ଅଞ୍ଚଳ ହେଉଛି ପୂର୍ବ ଓ ଦକ୍ଷିଣପୂର୍ବ ଏସିଆ। ସେ ଅଞ୍ଚଳରେ ସମ୍ପ୍ରତି ୨.୩ ବିଲିୟନ୍‌ ଜନତା ବାସ କରୁଛନ୍ତି। ଏହା ବିଶ୍ବ ଜନସଂଖ୍ୟାର ୨୯%। ସେହିପରି, କେନ୍ଦ୍ରୀୟ ଏବଂ ଦକ୍ଷିଣ ଏସିଆରେ ୨.୧ ବିଲିୟନ୍ ଜନତା ବାସ କରୁଛନ୍ତି। ତାହା ସମଗ୍ର ବିଶ୍ବ ଜନତାର ୨୬%।

୨୦୨୨ରେ ଉଭୟ ଦେଶରେ ୧.୪ ଶହ କୋଟି ଜନତା ଥାଇ ଚୀନ୍‌ ଓ ଭାରତ ଉପରୋକ୍ତ ଅଞ୍ଚଳରେ ସବୁଠୁ ଜନବହୁଳ ଦେଶର ମାନ୍ୟତା ପାଇଛନ୍ତି।

ଜାତିସଂଘର ଆର୍ଥିକ ଓ ସାମାଜିକ ବ୍ୟାପାରର ଜନସଂଖ୍ୟା ଉପଖଣ୍ଡଦ୍ବାରା ପ୍ରସ୍ତୁତ ‘ଦି ୱାର୍ଲଡ୍‌ ପପୁଲେସନ୍‌ ପ୍ରସ୍ପେକ୍ଟସ୍‌ ୨୦୨୨’ କହିଛି ଯେ, ୨୦୨୨ ନଭେମ୍ବର ୧୫ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବ।

୨୦୨୦ରେ ୧% ହ୍ରାସ ପାଇ ୧୯୫୦ ମସିହାରୁ ବିଶ୍ବ ଜନସଂଖ୍ୟା ସବୁଠୁ ମନ୍ଥର ଗତିରେ ବୃଦ୍ଧି ପାଉଛି। ଏହି ହାରରେ ୨୦୩୦ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮.୫ ଶହ କୋଟି ଏବଂ ୨୦୫୦ ବେଳକୁ ୯.୭ ଶହ କୋଟି ହୋଇଯାଇଥିବ ବୋଲି ଜାତିସଂଘ କହିଛି।

Leave A Reply

Your email address will not be published.