Webportal

୨୦୨୩ରୁ ସମଗ୍ର ବିଶ୍ବରେ ବନ୍ଦ ହେବ ‘ଟାଲ୍‌କମ୍‌ ବେବି ପାଉଡର୍‌’ ; ବିକ୍ରି ବନ୍ଦ କରିବ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’

0 139

୨୦୨୩ରୁ ସମଗ୍ର ବିଶ୍ବରେ ‘ଟାଲ୍‌କମ୍‌’ରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବିକ୍ରୟ ବନ୍ଦ କରାଯିବ ବୋଲି ଗୁରୁବାର ଦିନ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି।

ଏ ସଂକ୍ରାନ୍ତରେ ବିବୃତି ଦେଇ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି, ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସଂଗୃହୀତ ତଥ୍ୟାବଳୀ ମୂଲ୍ୟାୟନ କରିବା ପରେ ‘ଟାଲ୍‌କମ୍‌’ ପରିବର୍ତ୍ତେ ମକା ମଣ୍ଡରେ ‘ବେବି ପାଉଡର୍‌’ ପ୍ରସ୍ତୁତି କରିବା ଲାଗି ଆମେ ନିଷ୍ପତ୍ତି ଗ୍ରହଣ କରିଛୁ। ଏବେ ସମଗ୍ର ବିଶ୍ବରେ ମକା ମଣ୍ଡରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବିକ୍ରୟ ହେଉଛି।

ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ଆସିବା ପରେ ଚାହିଦା ହ୍ରାସ ପାଇବା ହେତୁ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ୨୦୨୦ରୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନଡାରେ ‘ଟାଲ୍‌କମ୍‌’ ‘ବେବି ପାଉଡର୍‌’ ବିକ୍ରୟ ବନ୍ଦ ରଖିଥିଲା। ‘ଟାଲ୍‌କମ୍‌’ ପାଉଡର୍‌ ପ୍ରସ୍ତୁତି କରୁଥିବାରୁ କମ୍ପାନି ନାଁରେ ୩୮,୦୦୦ ମାମଲା ରୁଜୁ କରାଯାଇଥିଲା। ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ଉତ୍ପାଦିତ ‘ଟାଲ୍‌କମ୍‌’ ସାମଗ୍ରୀରେ ଥିବା ‘କାର୍ସିନୋଜେନ୍‌’ (ଆଜ୍‌ବେଷ୍ଟସ୍‌ରେ ଥିବା ଉପାଦାନ) କର୍କଟ ରୋଗ ସୃଷ୍ଟି କରୁଛି ବୋଲି ଅଭିଯୋଗକାରୀମାନେ ଦର୍ଶାଇଥିଲେ।

କିନ୍ତୁ, ‘ଟାଲ୍‌କମ୍‌’ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି ବ‌ୋଲି ଯାହା ଅଭିଯୋଗ ହୋଇଛି, ତାହା ବିଭ୍ରାନ୍ତିକର ବୋଲି ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହୁଛି। କାରଣ ‘ଟାଲ୍‌କମ୍’ ନିରାପଦ ଏବଂ ‘ଆଜ୍‌ବେଷ୍ଟସ୍‌’ ରହିତ ବୋଲି ବହୁ ଦଶନ୍ଧିର ବୈଜ୍ଞାନିକ ପରୀକ୍ଷା ପରେ ‘ରେଗୁଲେଟରି’ ଅନୁମୋଦନ ମିଳିଥିଲା।

ସୂଚନାଯୋଗ୍ୟ, ୧୮୯୪ରୁ ବିକ୍ରୟ ହୋଇ ଆସୁଥିବା ‘ଜନ୍‌ସନ୍‌’ ‘ବେବି ପାଉଡର୍‌’ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଛି।

Leave A Reply

Your email address will not be published.