Webportal

୧୦ ଲକ୍ଷ ଲୋକଙ୍କ ସମାଗମକୁ ଲକ୍ଷ ରଖି ବାଲିଯାତ୍ରା ଆୟୋଜନ କରିବ ପ୍ରଶାସନ

0 152

ଚଳିତବର୍ଷ ଐତିହାସିକ ବାଲିଯାତ୍ରା ୨୦୨୨ ପାଖାପାଖି ୧୦୦ ଏକର ଜାଗା ଉପରେ ଆୟୋଜନ ହେବ । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାରମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏଥିଲାଗି ପ୍ରସ୍ତୁତ ହେଲାଣି ଜିଲ୍ଲା ପ୍ରଶାସନ। କରୋନା କଟକଣା ବନ୍ଦ ରହିଥିବାରୁ ଚଳିତବର୍ଷ ଏହି ପ୍ରସିଦ୍ଧ ଯାତ୍ରା ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ବାଲିଯାତ୍ରା ପଡିଆଠାରୁ ସିଲଭରସିଟି ବୋଟ କ୍ଳବ ପର୍ଯ୍ୟନ୍ତ ପାଖାପାଖି ୧୦୦ ଏକର ଜାଗାରେ ଆୟୋଜନ ହେବ ଚଳିତବର୍ଷ ବାଲିଯାତ୍ରା। ୧୦ ଲକ୍ଷ ଲୋକଙ୍କ ସମାଗମକୁ ଆଖିରେ ରଖି ପ୍ରଶାସନ ପୂର୍ବ ପ୍ରସ୍ତୁତି କରୁଛି ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳଙ୍କ ସମେତ ସିଡ଼ିଏ ଅଧ୍ୟକ୍ଷ, ଆରଡିସି, ସିଏମସି କମିସନର, ପିଡି, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଟ୍ରାଫିକ ନିୟନ୍ତ୍ରଣ ସହିତ ଗହଳିକୁ ଆୟତ୍ତ କରିବା ସବୁଠାରୁ ବଡ଼ ସମସ୍ୟା ପାଲଟିଥାଏ। ଏଥିପାଇଁ ପାର୍କିଂ ଏବଂ ପ୍ରଶସ୍ତ ରାସ୍ତାର ଆବଶ୍ୟକତା ରହିଛି।

ଏହାକୁ ନେଇ କଟକ ଡ଼ିସିପି ପାର୍କିଂ ଉପରେ ଗୁରୁତ୍ବାରୋପ କରିଥିବା ବେଳେ ବାଲିଯାତ୍ରା ଆୟୋଜନ କମିଟି ଏହାକୁ ଗୁରୁତର ସହ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଅନ୍ୟପଟେ ବହୁ ପରିମାଣର ଜନସମାଗମ ପାଇଁ ଆବଶ୍ୟକୀୟ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତିକରଣ, ସ୍ବଚ୍ଛତା ପରିମଳ ବ୍ୟବସ୍ଥା ସମସ୍ତ ପ୍ରମୁଖ ଦିଗ ଉପରେ ଉନ୍ନତମାନର ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଷ୍ଟଲ ଆବଣ୍ଟନ ଏବଂ ଖାଦ୍ୟ ନିରାପତ୍ତା ଓ ଫାୟାର ସେଫ୍ଟି ଅନୁମତିପତ୍ର ପ୍ରଦାନର ଦାୟିତ୍ବ ନେଇଛି କଟକ ମହାନଗର ନିଗମ।

Leave A Reply

Your email address will not be published.