ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ କାଳିଆକଟା ଗ୍ରାମରେ ଗୋଖର ସାପକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଆସି ଭର୍ତ୍ତି ହୋଇଛନ୍ତି। ସୂଚନା ଯେ, କାଳିଆକଟା ଗ୍ରାମର ବାବୁଲା ଭୋଇ (୨୭) ଆଜି ତାଙ୍କ ପିଇସା ଘରେ ଗୋଖର ସାପ ଥିବାରୁ ସାପକୁ ଧରିବା ପାଇଁ ଯାଇଥିଲେ। ବାବୁଲା ସାପକୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ଗୋଖର ସାପଟି ବାବୁଲାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିଲା । ଯାହା ଫଳରେ ବାବୁଲା ସାପକୁ ଧରି ପକାଇ ଥିଲେ। ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସରେ ବାବୁଲା ଗୋଖର ସାପକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନେ ଭୟଭୀତ ହୋଇ ଯାଇଥିବା ବେଳେ କିଛି ଲୋକ ସାପ ଦେଖିବା ପାଇଁ ଭିଡ ଜମାଇଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ସର୍ପ ଧରାଳିକୁ ଖବର ଦେବା ପରେ ସର୍ପ ଧରାଳି ଆସି ସାପକୁ ନେଇଥିବା ସୂଚନା ମିଳିଛି।