Webportal

ସମ୍ଭାବ୍ୟ ବାତ୍ୟା ଯୋଗୁଁ ଛୁଟୀ ବାତିଲ

0 404

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନୀ ଆସନ୍ତା ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ଘଣ୍ଟାକୁ ପ୍ରାୟ ୧୮୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ସୋମବାର ଅନୁୁୁଗୁୁଲ  ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ସମସ୍ତ ବିଭାଗୀୟ ଅଧିକାରୀମାନେ ଆନୁଷଙ୍ଗିକ ବ୍ୟବସ୍ଥା ସହ ସଜାଗ ଓ ସତର୍କ ରହିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହ କେହି ବିନା ଅନୁମତିରେ ମୁଖ୍ୟ ଦପ୍ତର ଛାଡ଼ି ପାରିବେ ନାହିଁ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ବାତ୍ୟା ଆଶ୍ରୟ ସ୍ଥଳରେ ଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଆସନ୍ତା ୨ ତାରିଖରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି। ଜିଲାର ତଳିଆ ଅଞ୍ଚଳ ଆଠମଲ୍ଲିକ, ବନ୍ତଳା, କଣିହଁା ଓ ଟିକରପଡ଼ା ପ୍ରଭୃତି ସ୍ଥାନରେ ଲୋକମାନଙ୍କୁ ଉଚ୍ଚା ଓ ନିରାପଦ ସ୍ଥାନକୁ ନେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ବାତ୍ୟା ପୂର୍ବରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ସହ ପରେ ଏହାର ପୁନରୁଦ୍ଧାର କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବାତ୍ୟା ପରେ ରାସ୍ତାରେ ଗଛ ପଡିଥିଲେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ସେଠାରୁ ହଟାଯିବା ସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ସମୟରେ ଶୁଖିଲା ଖାଦ୍ୟ ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ରିଟେଲରମାନେ ଆଗୁଆ ଏହାକୁ ଗଚ୍ଛିତ ରଖିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଚଳିତ ମାସ ୩୦ ତାରିଖରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଗୃହପାଳିତ ପଶୁମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପଦାର୍ଥ ଗଚ୍ଛିତ ରଖିବା ସହ ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅମରେନ୍ଦ୍ରନାଥ ମହାନ୍ତି, ଜିଲା ଜରୁରିକାଳୀନ ଅଧିକାରୀ ବୈତୁରା ଦୀପ୍‌ଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

Leave A Reply

Your email address will not be published.