Webportal

ବିଶ୍ୱ କୀର୍ତ୍ତିମାନ ପାଇଁ ଚେଷ୍ଟା

0 163

ବିଶ୍ୱ ରେକର୍ଡ ପାଇଁ ବାଲୁକା ଯୁବଶିଳ୍ପୀଙ୍କ ଉଦ୍ୟମ,କାଠରେ ନିର୍ମାଣ କଲେ ୩.୫ ଇଞ୍ଚ ଓ ୬୫ ଗ୍ରାମର ନନ୍ଦିଘୋଷ।ମାତ୍ର ୨୦ ବର୍ଷ ବୟସରେ ବିଶ୍ୱ ରେକର୍ଡ ପାଇଁ ଉଦ୍ୟମ କରିଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମର ଯୁବ ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ। ଜଣେ ବାଲୁକା ଶିଳ୍ପୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ହୋଇଥିଲେ ବି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ସେ ୩.୫ ଇଞ୍ଚ ଉଚ୍ଚତା ଓ ୬୫ ଗ୍ରାମ ଓଜନର ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅବିକଳ ନକଲ କାଠରେ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ୧୬ ଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଛି। ପୂର୍ବରୁ ବିଶ୍ୱର ସବୁଠାରୁ ଛୋଟ ରଥର ଉଚ୍ଚତା ୪.୫ ଇଞ୍ଚ ଥିବାରୁ ତାଙ୍କ ରଥକୁ ଲିମ୍‌କା ବୁକ୍‌ରେ ସ୍ଥାନିତ ପାଇଁ ପଠାଇବେ ବୋଲି ରୁବେଲାଲ ପ୍ରକାଶ କରିଛନ୍ତି।ଅଦରକାରୀ କାଠ, କପଡ଼ା, ଅଠା ଓ ରଙ୍ଗ ବ୍ୟବହାର କରି ସେ ଏହି ରଥ ନିର୍ମାଣ କରିଛନ୍ତି। ଏଥିରେ ପଏଣ୍ଟ ୯୮ ଇଞ୍ଚ ଉଚ୍ଚତାର ଜଗନ୍ନାଥଙ୍କ ମୂର୍ତ୍ତି ବିରାଜମାନ ଥିବା ବେଳେ ଘୋଡ଼ା, ସାରଥି ଓ ୧୬ଟି ଛୋଟ ଛୋଟ ଚକ ରହିଛି। ଲାଲ ଓ ହଳଦିଆ ରଙ୍ଗର କପଡ଼ାରେ ରଥକୁ ରଙ୍ଗାୟିତ କରାଯାଇଛି। ଏହାକୁ ସେ ଅନୁଗୋଳ ଜିଲ୍ଲାପାଳଙ୍କୁ ଦେଖାଇ ସାରିଥିବା ବେଳେ ଆଗାମୀ ରଥଯାତ୍ରା ବେଳେ ଅନୁଗୋଳରେ ତାହାକୁ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି। ସେହିପରି ଜଗନ୍ନାଥଙ୍କୁ ନେଇ ବାଲୁକା କଳା ନିର୍ମାଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏ ନେଇ ସେ ଜିଲ୍ଲାପାଳଙ୍କୁ ଅନୁମତି ମାଗିବା ପରେ ଜିଲାପାଳ ତାଙ୍କୁ ଶୈଳଶ୍ରୀକ୍ଷେତ୍ର ମନ୍ଦିର କମିଟି ସହ ଯୋଗାଯୋଗ କରିବାକୁ କହିଛନ୍ତି। ଏଥିସହ ମାଉସୀ ମା’ ମନ୍ଦିର ନିକଟରେ ବାଲୁକା କଳା ପ୍ରଦର୍ଶନ କଲେ ଭଲ ହେବ ବୋଲି ଜିଲ୍ଲାପାଳ ପ୍ରସ୍ତାବ ଦେଇଥିବା ରୁବେଲାଲ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ଟି ବାଲୁକା କଳା ପ୍ରଦର୍ଶନ କରିସାରିଥିବା କଥା ଏହି ଯୁବଶିଳ୍ପୀ କହିଛନ୍ତି।

Leave A Reply

Your email address will not be published.