Webportal

ନିଆଁ ଲାଗିଯିବାରୁ ଜରୁରୀ ଅବତରଣ କଲା ପାଟନାରୁ ଦିଲ୍ଲୀ ଯାଉଥିବା ବିମାନ

0 242

ଡେଣାରେ ନିଆଁ ଲାଗିଯିବାରୁ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଆଜି ପାଟନାସ୍ଥିତ ବିହଟା ବାୟୁସେନା ବିମାନ ଘାଟିରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ସ୍ପାଇସ୍‌ ଜେଟ୍‌ର ଉକ୍ତ ‘ବୋଇଙ୍ଗ୍‌ ୭୨୭’ ବିମାନରେ ଥିବା ସମସ୍ତ ୧୮୫ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ବିମାନ ବନ୍ଦରସୂତ୍ରରୁ ଜଣାପଡ଼ିଛି।

ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଚନ୍ଦ୍ରଶେଖର ସିଂହ କହିଛନ୍ତି, ବିମାନର ବାମ ଡେଣାରେ ଅଗ୍ନିଶିଖା ଦେଖାଯାଇଥିଲା। ତେଣୁ, ବିମାନଟି ତୁରନ୍ତ ଅବତରଣ କଲା। ବିମାନ ପଙ୍ଖାର ଦୁଇଟି ପତ୍ର ମୋଡ଼ି ହୋଇଯାଇଛି। ଫୁଲ୍‌ୱାରି ଶରିଫ୍ ବାସିନ୍ଦାମାନେ ବିମାନରେ ଅଗ୍ନିଶିଖା ଦେଖି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ବୈଷୟିକ ତ୍ରୁଟି କାରଣରୁ ନିଆଁ ଲାଗିଥିବ ବୋଲି ସ‌ନ୍ଦେହ ହେଉଛି। ଇଞ୍ଜିନିୟରିଙ୍ଗ୍‌ ଟିମ୍‌ ସେ ସଂକ୍ରାନ୍ତରେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ଅପରାହ୍ଣ ୧୨.୩୦ରେ ବିମାନଟି ଉଡ଼ାଣ ଆରମ୍ଭ କରିବା ବେଳୁ କିଛି ବିମାନରେ କିଛି ଅସୁବିଧା ଥିବା ପରି ମନେହେଉଥିଲା।

ସଂଗୃହୀତ ସୂଚନା ଅନୁସାରେ, ସ୍ବାଭାବିକ ଉଡ଼ାଣ ଉଚ୍ଚତାରେ ପହଞ୍ଚିବା ପାଇଁ ବିମାନଟି ଅସୁବିଧାର ସମ୍ମୁଖୀନ ହେଉଥିଲା। ପାଟନାର ବିହଟା ବାୟୁସେନା ବିମାନ ଘାଟିରେ ଜରୁରୀକାଳୀନ ଅବତରଣ କରିବା ପୂର୍ବରୁ ବିମାନଟି ପ୍ରାୟ ୨୫ ମିନିଟ ଧରି ଆକାଶରେ ଉଡୁଥିଲା।

ବିମାନଟି ଅବତରଣ କରିବା ପରେ ପୁଲିସ ଏବଂ ବିମାନ ବନ୍ଦର କର୍ମଚାରୀମାନେ ବିମାନ ନିକଟରେ ପହଞ୍ଚିଥିଲେ ଏବଂ ଯାତ୍ରୀମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିଥିଲେ।

ଏ ସଂକ୍ରାନ୍ତରେ ‘ସ୍ପାଇସ୍‌ଜେଟ୍‌’ ଏପର୍ଯ୍ୟନ୍ତ କୌଣସି ବିବୃତି ଦେଇନାହିଁ।

କୌଣସି ପକ୍ଷୀ ସହିତ ଧକ୍କା ଖାଇବାରୁ ଉକ୍ତ ବିମାନର ପ୍ରଥମ ଇଞ୍ଜିନ୍‌ ଅକାମିକା ହୋଇଯିବାରୁ ବିମାନଟି ଜରୁରୀ ଅବତରଣ କରିବାକୁ ବାଧ୍ୟ ‌ହୋଇଥିଲା ବୋଲି ‘ଡିଜିସିଏ’ କହିଛି।

Leave A Reply

Your email address will not be published.