Webportal

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ୩୫ ହଜାର ଜରିମାନା

ପୀଡ଼ିତାଙ୍କୁ ୭ ଲକ୍ଷ ସହାୟତା ରାଶି ଦେବାକୁ ନିର୍ଦେଶ

0 222

ଦୀର୍ଘ ୮ ବର୍ଷ ତଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି । କୁଜଙ୍ଗ ବାମଦେଇପୁରର ମକର ମଳିକକୁ ଜଗତସିଂହପୁର ଫାଷ୍ଟ ଟ୍ରାକ ବିଚାରପତି ଅଜୟକୁମାର ମହାନ୍ତିଙ୍କ କୋର୍ଟ ଦୋଷୀ ସାବ୍ୟସ୍ତ କରିବାସହିତ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୫ ହଜାର ଟଙ୍କା ଜୋରିମାନା ପାଇଁ ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୭ମାସ ଜେଲ ଦଣ୍ଡ ଭୋଗିବାକୁ ଉଲ୍ଲେଖ କରିଛନ୍ତି । ଅନ୍ୟ ପକ୍ଷରେ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି ।ଘଟଣାରୁ ପ୍ରକାଶ,କୁଜଙ୍ଗ ଥାନା ଅଂଚଳର ଜଣେ ୧୫ ବର୍ଷୀୟା ନାବାଳିକା ୨୩,ଫେବୃଆରୀ ୨୦୧୬ ରେ ଘରୁ ସ୍କୁଲକୁ ଆସିଥିଲେ । ତେବେ ସ୍କୁଲ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ । ତାଙ୍କ ବାପା ମା ଏହି ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ବହୁ ଖୋଜାଖୋଜି କରିଥିଲେ । ତେବେ ବାମଦେଇପୁର ଗ୍ରାମର ମକର ମାଲିକ ପୀଡ଼ିତାଙ୍କୁ ଅପହରଣ କରିଥିବା ସମ୍ପର୍କରେ ଜାଣିବାପରେ ଘଟଣାର ଦୁଇଦିନ ପରେ ଅର୍ଥାତ ୨୫ ଫେବୃଆରୀ ୨୦୧୬ରେ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ।କୁଜଙ୍ଗ ପୁଲିସ ପୀଡ଼ିତାଙ୍କୁ ନିଖୋଜର ୪ ଦିନ ପରେ ରାହାମାରୁ ଉଦ୍ଧାର କରିଥିଲେ । ମୁଦାଲା ନାବାଳିକାଙ୍କ ଇଚ୍ଛା ବିରୋଧରେ ରାହାମାରେ ୪ ଦିନ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା । ଏହି ଘଟଣାରେ ପୁଲିସ ମକରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଏହି ମାମଲାର ଜଗତସିଂହପୁର ଫାଷ୍ଟ ଟ୍ରାକ କୋର୍ଟରେ ବିଚାର ଚାଲିବା ପରେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ କୋର୍ଟ ମୁଦାଲା ମକରକୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଦୋଳଗୋବିନ୍ଦ ଦାଶ ମାମଲା ପରିଚାଳନା କରିଥିଲେ।

Leave A Reply

Your email address will not be published.