Webportal

ଚାଷୀଙ୍କ ଆବଶ୍ୟକ ୟୁରିଆ, ଜବରଜସ୍ତ୍ ଦିଆଯାଉଛି ଗ୍ରୋମର ଓ ଜିପ୍ଟମାଇଟ ପ୍ଲସ ସାର!

ସାର ଦୋକାନୀ ଏବଂ ହୋଲସେଲର କରୁଛନ୍ତି ହଇରାଣ

0 124

ଖରିଫ ଋତୁରେ ମାଲକାନଗିରି ଜିଲ୍ଲାରେ ସାର ସଂକଟ ଦେଖାଖଯାଇଛି। ଚାଷୀଙ୍କୁ ୟୁରିଆ ସାର ଦରକାର ଥିଲା ବେଳେ ସେମାନଙ୍କୁ ଗ୍ରୋମର ଓ ଜିପ୍ଟମାଇଟ୍‌ ସାର ମିଳୁଥିବା ଅଭିଯୋଗ ହେଉଛି। ଗତ କିଛି ଦିନ ହେଲା ସାର ଦୋକାନୀ ଏବଂ ହୋଲସେଲର ଦୋକାନୀମାନଙ୍କ ଦାଦାଗିରି ବଢିଯାଇଛି ବୋଲି ଆଜି ଜଣେ ଆଗଧାଡିର କୃଷକ ନେତା ତଥା ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ଗଣମାଧ୍ୟମକୁ ଏକ ପ୍ରେସ ବିଜ୍ଞପ୍ତି ପ୍ରଦାନ କରି ଅଭିଯୋଗ ଆଣିଛନ୍ତି। ଏଥି ସହିତ ସେ ଚେତାବନୀ ଦେଇଛନ୍ତି ଯେ, ଆଗକୁ କୃଷକ ଆନ୍ଦୋଳନ ତେଜିବ। ଏନେଇ ସେ ଜିଲ୍ଲାପାଳ ଏବଂ ଜିଲ୍ଲା କୃଷି ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇ ଦେଇଛନ୍ତି।

ଜିଲ୍ଲାରେ ଗତ କିଛି ଦିନ ହେଲା ସାର ଦୋକାନୀ ଏବଂ ହୋଲସେଲରମାନେ ଚାଷୀ ଯେଉଁ ସାର ମାଗିଲେ ତାହା ନଦେଇ ଅନ୍ୟ ଏକ ସାର ନେଲେ ହିଁ ସେହି ସାର ମିଳିବ ବୋଲି ଜବରଦସ୍ତ କରୁଛନ୍ତି। ବିଚରା ଚାଷୀ ସେହି ସାର ନେବାକୁ ଅମଙ୍ଗ ହେଉଥିଲେ ମଧ୍ୟ ସାର ଦୋକାନୀମାନଙ୍କ ଦାଦାଗିରି ଯୋଗୁଁ ନେବାକୁ ବାଧ୍ୟ ହେଉଛନ୍ତି। ଯେପରିକି କୃଷକମାନେ ୟୁରିଆ ସାର ମାଗୁଥିଲେ ଦୋକାନୀ ଗ୍ରୋମର(ଡିଏପି) ଏବଂ ଜିପ୍ଟିମାଇଟ ପ୍ଲସର ୨୫ କିଲୋ ବ୍ୟାଗ ଧରାଇ ଦେଉଛନ୍ତି। ଏହି ସାର କୃଷକମାନଙ୍କୁ ଦରକାର ନଥିବା ବେଳେ ସେମାନେ ଏହାକୁ ନେବାକୁ ଅମଙ୍ଗ ହେଉଛନ୍ତି।

ତେବେ ଦୋକାନୀ ଏହି ସାର ନନେହେଲେ ୟୁରିଆ ମିଳିବ ନାହିଁ ବୋଲି ସଫା ସଫା ମନା କରିଦେଉଛନ୍ତି, ଯାହକୁ ନେଇ ଏବେ ଜିଲ୍ଲାର କୃଷକମାନଙ୍କ ମଧ୍ୟରେ ଅସଂତୋଷ ତେଜିବାରେ ଲାଗିଛି। ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ସେମାନେ ଯେଉଁସାର ପୂର୍ବରୁ ନିଜର ଜମିରେ ପକାଇ ଅଧିକା ଫସଲ ଅମଳ କରିଆସୁଛନ୍ତି ସେହି ସାର ନେବାକୁ ଚାହୁଁଥିବା ବେଳେ ଯେଉଁ ସାର ଦିଆଯାଉଛି ତାହା ଜମିରେ ପକାଇବା ଏବ ପ୍ରକାର ବିଷ ବୋଲି କୁହାଯାଇଛି। ଆମ ଅଂଚଳର ମୃତ୍ତିକାରେ ଏହି ସାର ଦେବା ଉଚିତ ନୁହେଁ ବୋଲି ଶରତ ବୁରୁଦା ପ୍ରକାଶ କରିଛନ୍ତି। ଏହି ସାର ଉତ୍ପାଦନ କରୁଥିବା ପାରାଦୀପ ଫୋସଫେଟ ଲିମିଟେଡ ନିଜର ୱେବସାଇଟରେ ପ୍ରକାଶ କରିଛନ୍ତି ଯେ ଏହି ସାର କେବଳ ଆଲକାଲାଇନ ସଏଲରେ ହିଁ ବ୍ୟବହୃତ ହୋଇପାରିବ।

ମାଲକାନଗିରି ଜିଲ୍ଲାରେ ଆଲକାଲାଇନ ସୋଏଲ ନଥିବା ବେଳେ କାହିଁକି ଜବରଦସ୍ତ ଏହି ସାରକୁ କୃଷକମାନଙ୍କୁ କିଣିବା ପାଇଁ ବାଧ୍ୟ କରାଯାଉ ବୋଲି ଶ୍ରୀ ବୁରୁଦା ପ୍ରଶ୍ନ କରିଛନ୍ତି। କୌଣସି ମୃତ୍ତିକାକୁ ପରୀକ୍ଷା କରାନଯାଇ ଏଭଳି ସାର ଜମିରେ ପ୍ରୟୋଗ କଲେ ଆଗାମୀ ଦିନରେ ମୃତ୍ତିକା ନଷ୍ଟ ହେବାର ସମ୍ଭାବନା ରହିଥିବା ଶ୍ରୀ ବୁରୁଦା ପ୍ରକାଶ କରିଥିଲେ। ତେବେ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ଏବଂ କୃଷି ଅଧିକାରୀ ଏଦିଗରେ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି।ନଚେତ ଆଗାମୀ ଦିନରେ କୃଷକ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.