Webportal

ଚାକିରିକୁ ବର୍ଷେ ହୋଇନି, ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଲେ

0 461

ଚାକିରିକୁ ବର୍ଷେ ହୋଇନି, ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲା ଧରାପଡ଼ିଲେ।

ହେ ପ୍ରଭୁ! ଲୋଭ ପୁଣି ଏମିତି। ଓଏଏସ୍‌ ପାସ୍‌ କରି ଚାକିରି ପାଇବାକୁ ବର୍ଷେ ହୋଇନି। ହେଲେ ଲୋଭରେ ପଡ଼ିଗଲେଣି। ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ରେଶମ ନିର୍ଦ୍ଦେଶକ କାର୍ଯ୍ୟାଳୟର କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛି।

ମୟୂରଭଞ୍ଜ ଜିଲ୍ଲାର ଏକ ଏନଜିଓ ପନ୍ଦର ୧୫୦୦ ହେକ୍ଟର ଜମିରେ ବିଶୋଇ, ବହଳଦା, କୁସୁମୀ ଆଦି ବ୍ଲକରେ ଟସର ଚାଷ ପାଇଁ ଅସନ ଓ ଅର୍ଜୁନ ବୃକ୍ଷ ରୋପଣ କରିଛି। ଉକ୍ତ ବୃକ୍ଷ ରୋପଣର ସରଜମିନ ସ୍ଥିତି ନେଇ ଫିଜିବିଲିଟି ରିପୋର୍ଟ ପାଇଁ ଯଶିପୁର ଅଞ୍ଚଳର ଶିରିଷ ଚନ୍ଦ୍ର ମହାନ୍ତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଜିଲ୍ଲାପାଳଙ୍କ ଅଫିସ୍‌ ତରଫରୁ ଏନେଇ ସହକାରୀ ନିର୍ଦ୍ଦେଶକ ରେଶମ ଶିଳ୍ପକୁ ରିପୋର୍ଟ ମଗା ଯାଇଥିଲା। ହେଲେ ଟସର ବିଭାଗର କ୍ଷେତ୍ର ସହାୟକ ବିଭୁତି ମଲ୍ଲିକ ରିପୋର୍ଟ ରିପୋର୍ଟ ଦେଉନଥିବାରୁ ଶିରିଷ ଫିଜିବିଲିଟି ସାର୍ଟିଫିକେଟ୍‌ ପାଇପାରୁନଥିଲେ।

ଶିରିଷ ଚନ୍ଦ୍ର ମହାନ୍ତ ଏନେଇ ଟସର ବିଭାଗର କ୍ଷେତ୍ର ସହାୟକ ବିଭୁତି ମଲ୍ଲିକଙ୍କ ଯୋଗାଯୋଗ କରିଥିଲେ। ଏଥିପାଇଁ ସେ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିଲେ। ଯେଉଁଥିପାଇଁ ଶିରିଷ ଅସହାୟତା ପ୍ରକାଶ କରିଥିଲେ। ମାତ୍ର ସେ କିଛି ଶୁଣିନଥିଲେ। ବିଭୁତି ମଲ୍ଲିକଙ୍କ କଥାରେ ରାଜି ହୋଇଥିଲେ ଶିରିଷ। ପରେ ସେ ଏନେଇ ବାରିପଦା ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଶିରିଷ କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକଙ୍କ ଫିସ୍‌ରେ ପହଞ୍ଚିଥିଲେ। ଡିଲ୍‌ ମୁତାବକ ଲାଞ୍ଚ ଟଙ୍କା ଦେଉଥିଲେ। ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ବିଭୁତିଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରି ଗିରଫ କରିଛି। ତାଙ୍କ ଭଡ଼ା ଘର ଓ ପୈତୃକ ଘର ଭଦ୍ରକ ଜିଲ୍ଲାର ଧାମନଗରରେ ଚଢ଼ଉ କରିଛି ଭିଜିଲାନ୍ସ। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ବିଭାଗର ଆଡିସିନାଲ ଏସ୍‌ପି ହରେକୃଷ୍ଣ ମାଝି।

Leave A Reply

Your email address will not be published.