Webportal

ଜଙ୍ଗଲରୁ ମିଳିଲା ତିନି ମୃତଦେହ:ଜଘନ୍ୟ ହତ୍ୟାକାଣ୍ଡ ସନ୍ଦେହ

0 320

ଜଘନ୍ୟ ହତ୍ୟାକାଣ୍ଡ ସନ୍ଦେହ।ଜଙ୍ଗଲରୁ ମିଳିଲା ତିନି ମୃତଦେହ।ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ।

ଘଟଣାଟି ଏଇଭଳି।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଡିମିରିପାଦା ପାହାଡ଼କୁ ଲାଗି ଥିବା ବାଲିପଟା ଗ୍ରାମର ବାଲିକୁଦିଆ ଜଙ୍ଗଲରେ ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କ ମୃତଦେହ ଝୁଲୁଥିବା ଜଣେ ଗାଈ ଚରାଳି ବୁଧବାର ସନ୍ଧ୍ୟାରେ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ।

ଲୋକମାନେ ପ୍ରଥମେ ମୃତକ ମାନଙ୍କ ପରିଚୟ ଜାଣି ପାରି ନ ଥିଲେ।ନା ଥିଲା ସ୍ଥାନୀୟ ପୋଲିସ ପାଖରେ କିଛି ଖବର।ଗୁରୁବାର ସକାଳେ ଭିଡ଼ ଜମାହେବା ପରେ ମୃତକଙ୍କ ପରିଚୟ ଜଣାପଡିଥିଲା।ସେମାନେ ହେଲେ ପଳସାବଣିଆ ଗ୍ରାମର ସତର ବର୍ଷିଆ ନାବାଳିକା, ବାଇସ ବର୍ଷୀୟ ଶମ୍ଭୁନାଥ ମାଝୀ ଓ କୋଡ଼ିଏ ବର୍ଷୀୟ ବାରୁ ବେହେରା।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ ପ୍ରେମୀଯୁଗଳ ଶମ୍ଭୁନାଥ ଓ ନାବାଳିକା ଜଣକ ଦୁଇ ବର୍ଷ ପୂର୍ବରୁ ଫେରାର ହୋଇଯାଇଥିଲେ,କିନ୍ତୁ ଝିଅଟି ନାବାଳିକା ଥିବାରୁ ପରିବାର ଲୋକଙ୍କ ଅଭିଯୋଗ ପରେ ଶମ୍ଭୁନାଥ ଗିରଫ ହୋଇ ଜେଲ ଯାଇଥିଲେ।ଜେଲରୁ ଫେରି ମାମଲା ପ୍ରତ୍ୟାହାର କରିବା ପାଇଁ ସେ ଝିଅର ବାପାକୁ କିଛି ଟଙ୍କା ଦେଇଥଲା।

କିନ୍ତୁ ଚଳିତ ମାସ ବାଇସ ତାରିଖରୁ ଉଭୟ ପୁନର୍ବାର ଘରୁ ପଳେଇ ଯାଇଥିଲେ।ତେଇଶ ତାରିଖରେ ତିନି ଜଣଙ୍କ ଫୋଟୋ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା କଥା କୁହାଯାଉଛି।ଦୁଇ ତିନି ଦିନ ପୂର୍ବରୁ ଝିଅର ବାପା ଶମ୍ଭୁନାଥର ମାମୁଁ ଘରକୁ ଯାଇ ତାକୁ ଖୋଜିବା ସହ ମିଳିଲେ ତାକୁ ମାରିବାକୁ ଧମକ ଦେବା କଥା ମଧ୍ୟ ଚର୍ଚ୍ଚା ହେଉଛି।

ସେପଟେ ଝିଅର ବାପା ମୃତ ଶରୀର ମିଳିବା ପୂର୍ବରୁ ସାତ ଦିନିଆ ହାଣ୍ଡିଘର କରିଥିବା କଥା ଜଣାପଡିଛି।ଏପଟେ ଶମ୍ଭୁନାଥ ର ବାପା ଓ ବାରୁ ବେହେରାର ଭାଇ ଉଭୟ ଯଥାକ୍ରମେ ତାଙ୍କ ପୁଅ ଓ ଭାଇକୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଖବର ଲେଖାହେବା ପର୍ଯ୍ୟନ୍ତ ସାଇଣ୍ଟିଫିକ ଟିମ କୁ ଅପେକ୍ଷା କରିଥିଲେ।

ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବାର ଆଶା କରାଯାଉଛି।

Leave A Reply

Your email address will not be published.