Webportal

ଆମକୁ ପଛରୁ ଛୁରି ମାରିଲେ; ତେଣୁ ଉଦ୍ଧବଙ୍କ ପତନ ହେଲା

0 150

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି କହିଛନ୍ତି ଯେ ବିଜେପିକୁ ଉଦ୍ଧବ ଠାକ୍‌ରେ ପଛରୁ ଛୁରି ମାରି କଂଗ୍ରେସ-ଏନ୍‌ସିପି ସହ ହାତ ମିଳାଇଥିଲେ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ହିଁ ଏମ୍‌ଭିଏ ସରକାରର ପତନ ହେଲା ଏବଂ ଉଦ୍ଧବଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗଲା ବୋଲି ଫଡ଼ନାଭିସ ଆଜି ଦଳୀୟ କାର୍ଯ୍ୟକ୍ରମରେ କହିଛନ୍ତି। ଗତକାଲି ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ମଧ୍ୟ ଚମକାଇ ଦେବା ଭଳି ଏକ ବୟାନ ଦେଇଥିଲେ । ସେ କହିଥିଲେ ଯେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓ ଦେବେନ୍ଦ୍ର ଫଡ଼ନାବିସ ଅତି ଦୁଃଖର ସହିତ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି। ଆମେ ଖୁସି ନଥିଲୁ କିନ୍ତୁ ଏହାକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ପାଟିଲ ଶନିବାର କହିଥିଲେ। ତେବେ ଫଡ଼ନାଭିସ ଏ ବାବଦରେ କହିଛନ୍ତି ଯେ ପାଟିଲଙ୍କ ବୟାନର ଭୁଲ୍‌ ବ୍ୟାଖ୍ୟା କରାଯାଉଛି। ଏକ ବିଶେଷ ପରିସ୍ଥିତିରେ ସରକାର ଗଠନ ହେଲା ଏବଂ ଏହାକୁ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡ଼ିବ ବୋଲି ପାଟିଲ ସ୍ପଷ୍ଟ କରିଥିବା ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ କସରତ ଆରମ୍ଭ କରିଥିବାବେଳେ ବରିଷ୍ଠ ବିଜେପି ନେତାଙ୍କ ଏଭଳି ବୟାନ ସିନ୍ଦେ-ବିଜେପି ମେଣ୍ଟରେ ମତପାର୍ଥକ୍ୟ ବଢ଼ାଇବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.