Webportal

ଲୋନ୍ ଆପ୍‌ରେ ୫୦୦ କୋଟି ଠକେଇ ; ଠକି ନେଇଛନ୍ତି ଚୀନ ନାଗରିକ, ୨ ମହିଳା ସମେତ ୨୨ ଗିରଫ

0 179

ଗତ ଦୁଇମାସର ତଦନ୍ତ ଓ ଅନୁସନ୍ଧାନ ପରେ ଦିଲ୍ଲୀ ପୁଲିସ ୫୦୦ କୋଟିରୁ ଅଧିକ ରାଶିର ଇନଷ୍ଟାଣ୍ଟ ଲୋନ୍ କମ୍‌ ଏକ୍ସଟୋର୍ସନ ରାକେଟ ଧରିବା ସହ ଦେଶର ବିଭିନ୍ନ ସ୍ଥାନରୁ ୨୨ ଜଣଙ୍କୁ ଗିରଫ କରିଛି। ଚୀନ ନାଗରିକଙ୍କ ଦ୍ବାରା ଏହି ରାକେଟ ପରିଚାଳିତ ହେଉଥିଲା। ଏ ବାବଦରେ ସଂଗ୍ରହ ହେଉଥିବା ରାଶିକୁ ଚୀନକୁ ହାଓଲା ଓ କ୍ରିପ୍ଟୋକରେନ୍ସି ଆକାରରେ ପଠାଯାଉଥିଲା।

ସୂଚନା ଅନୁଯାୟୀ, ଏ ନେଇ ଶତାଧିକ ଅଭିଯୋଗ ମିଳିଥିଲା। ଅଭିଯୋଗରେ ଦର୍ଶାଯାଇଥିଲା ଯେ ଉଚ୍ଚ ସୁଧ ହାରରେ ଏଥିରେ ସ୍ବଳ୍ପ ପରିମାଣର ଋଣ ଦିଆଯାଉଛି। ସେହି ଋଣ ଓ ସୁଧ ଆଦାୟ କରାଯିବା ପରେ ଉକ୍ତ ଗ୍ୟାଙ୍ଗ ଋଣ ନେଇଥିବା ବ୍ୟକ୍ତିଙ୍କୁ ଧମକ ଚମକ ଦେଉଥିଲେ। କମ୍ପ୍ୟୁଟର ଆନିମେସନ ଜରିଆରେ ସେମାନଙ୍କ ନଗ୍ନ ଫଟୋ ପ୍ରସ୍ତୁତ କରି ‌ଟଙ୍କା ପାଇଁ ଧମକ ଦେଉଥିଲେ। ଏସବୁ ଅଭିଯୋଗଗୁଡ଼ିକୁ ଦିଲ୍ଲୀ ପୁଲିସର ଦ ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ‌ଷ୍ଟ୍ରାଟେଜିକ ଅପରେସନ (ଆଇଏଫ୍‌ଏସ୍‌ଓ) ସଂଜ୍ଞାନକୁ ନେଇଥିଲା। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ଉକ୍ତ ରାକେଟରେ ୧୦୦ରୁ ଅଧିକ ଆପ୍ ସଂଶ୍ଳିଷ୍ଟ ରହିଛି।

ମନ୍ଦ ଉଦ୍ଦେଶ୍ୟ ରଖି ୟୁଜରଙ୍କ ଠାରୁ ଏହି ଆପଗୁଡ଼ିକ ପରମିସନ ମାଗୁଥିଲା। ୟୁଜରଙ୍କ କଣ୍ଟାକ୍ଟ, ଚାଟ୍‌, ମେସେଜ ଏବଂ ଇମେଜ୍‌ ଆଦିର ଆକ୍ସେସ ପାଇଯିବା ପରେ ଉକ୍ତ ଗ୍ୟାଙ୍ଗ ଚୀନ ଓ ହଂକଂରେ ଥିବା ସର୍ଭରରେ ସମ୍ବେଦନଶୀଳ ସୂଚନାକୁ ଅପଲୋଡ୍ କରିଦେଉଥିଲେ।

ଲୋକଙ୍କୁ ଋଣ ଦେବାପାଇଁ ଏହି ଆପ୍‌ଗୁଡ଼ିକ ତିଆରି କରାଯାଇଛି। ୟୁଜର ତାହାକୁ ଡାଉନଲୋଡ କରିବା ସହିତ ଆପକୁ ଅନୁମତି ଦେବା ପରେ ଋଣ ବାବଦ ଅର୍ଥ କିଛି ମିନିଟ ମଧ୍ୟରେ ଆକାଉଣ୍ଟକୁ ଆସି ଯାଉଥିଲା। ପରେ ୟୁଜରଙ୍କ ନିକଟକୁ ନକଲି ପରିଚୟରେ ଫୋନ କଲ୍ ଆସୁଥିଲା। ସେଥିରେ ଟଙ୍କା ପାଇଁ ଧମକ ଦିଆଯାଉଥିଲା। ସାମାଜିକ କଳଙ୍କ ଭୟରେ ୟୁଜରମାନେ ଟଙ୍କା ଦେଇ ‌ଦେଉଥିଲେ। ସେହି ଅର୍ଥକୁ ପରବର୍ତ୍ତୀ ପର୍ଯ୍ୟାୟରେ ଚୀନକୁ ହାଓଲା ଓ କ୍ରିପ୍ଟୋକରେନ୍ସି ଆକାରରେ ପଠାଯାଉଥିଲା ବୋଲି ଦିଲ୍ଲୀ ପୁଲିସ କହିଛି। ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତି ଧମକ ଜରିଆରେ ଲକ୍ଷାଧିକ ଟଙ୍କା ଦେଇଛନ୍ତି। ଏପରିକି କିଛି ବ୍ୟକ୍ତି ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଏହି ଗ୍ୟାଙ୍କ ଏକାଧିକ ଆକାଉଣ୍ଟ ବ୍ୟବହାର କରୁଥିଲେ। ଦିନକୁ ଗୋଟିଏ ଗୋଟିଏ ଆକାଉଣ୍ଟରେ ୧ କୋଟିରୁ ଅଧିକ ଟଙ୍କା ପାଉଥିଲେ। ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ଅନ୍ୟ ରାଜ୍ୟରେ ଏହି ନେଟୱର୍କ ରହିଥିଲା। ପୁଲିସ ଉକ୍ତ ମାମଲାରେ ୨ ମହିଳାଙ୍କ ସମେତ ୨୨ ଜଣଙ୍କୁ ଗିରଫ କରିଛି। ପଚରାଉଚରାବେଳେ କିଛି ଚୀନ ନାଗରିକଙ୍କ ସଂପର୍କରେ ସୂଚନା ମିଳିଛି। ସେମାନଙ୍କୁ ଠାବ କରି ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି। ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଅପରାଧୀମାନେ ସେମାନଙ୍କ ରିକଭରି କଲ୍ ସେଣ୍ଟରକୁ ପାକିସ୍ତାନ, ନେପାଳ ଓ ବାଂଲାଦେଶକୁ ନେଇଯାଇଛନ୍ତି।

Leave A Reply

Your email address will not be published.