Webportal

ଘରଭଡା ସୁଜିବା ପାଇଁ ରାଗରେ ନିଜ ଛୁଆକୁ ଛାଡିଦେଲେ ଜନ୍ମଦାତା; ପରେ ଫେରାଇଆଣିବା ପାଇଁ ଥାନାରେ ଅଭିଯୋଗ କଲେ

0 347

ଥମୁନି ଛାତିର କୋହ, ଶୁଖୁନି ଆଖିର ଲୁହ । ଛୁଆକୁ ଖୋଜି ଖୋଜି ରାହା ଧରି କାନ୍ଦି କାନ୍ଦି ଧୈର୍ଯ୍ୟହରା ହୋଇପଡ଼ୁଛନ୍ତି ମାଆ  । ନିଜ ଜନ୍ମ କଲା ଝିଅକୁ ପାଇବା ପାଇଁ  ସମସ୍ତଙ୍କ ଆଗରେ ହାତଯୋଡି ନେହୁରା ହେବାକୁ ପଡୁଛି । ନଅ ବର୍ଷର ଝିଅକୁ ପାଇବା ପାଇଁ ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହୋଇପଡ଼ିଛନ୍ତି ବାପା-ମାଆ  । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଏମାନେ ଗରିବ ହୋଇଥିବାରୁ ଘର ମାଲିକ ସେମାନଙ୍କ ଛୁଆକୁ ବଳପୂର୍ବକ ଛଡ଼ାଇନେଇଛି ।

ଏଦୁଇ ଜଣ ହେଉଛନ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ଏହି ସ୍ୱାମୀ ସ୍ତ୍ରୀ ସନ୍ତୋଷ ଓ ମନ୍ଦୋଦରୀ । ତିନି ବର୍ଷ ତଳେ ସେମାନେ ଭୁବନେଶ୍ୱର ଆସିଥିଲେ  । ମଞ୍ଚେଶ୍ୱର ଥାନା ଆଖଣ୍ଡଳମଣି ବସ୍ତିରେ ଭଡା ଘରେ ରହୁଥିଲେ । ଆଉ ପର ଘରେ କାମ କରି କରୁ ଚଳୁଥିଲେ  । ମାଲିକଙ୍କ ଘରେ କାମ କରି ଘରଭଡ଼ା ସୁଝିଦେଉଥିଲେ । ଆଉ ଏବେ ଘର ଛାଡ଼ିବା ବେଳକୁ ଘର ମାଲିକ ତାଙ୍କ ଛୁଆକୁ ଆଉ ଫେରାଉନାହାନ୍ତି । ବରଂ ଓଲଟି ଧମକ ଚମକ ଦେଉଛି ଘର ମାଲିକ  । ଏନେଇ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହେବା ପରେ ନ୍ୟାୟ ନପାଇବାରୁ ଡିସିପି କାର୍ଯ୍ୟାଳୟରେ ନିଜ ଗୁହାରୀ ଜଣାଇବାକୁ ପହଞ୍ଚିଥିଲେ ବାପା-ମାଆ  ।

ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ସେମାନେ ଘର ଭଡା ଦେଇ ନ ପାରିବାରୁ ଘର ମାଲିକ ଓ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା।ପରେ ସ୍ବାମୀ ସ୍ତ୍ରୀ ରାଗରେ ଭଡା ବାବଦରେ ଛୁଆକୁ ରଖ କହି ସେଠାରୁ ପଳେଇଥିଲେ। ସତକୁ ସତ ଘର ମାଲିକ ପାଖରେ ଛୁଆଟି ରହିଯିବାରୁ ପରେ ସେମାନେ ପୋଲିସର ସହାୟତା ଲୋଡିଛନ୍ତି।

ଛୁଆକୁ ଉଦ୍ଧାର କରିବା ପାଇଁ ଚାଇଲଡ୍ ଲାଇନ ସହାୟତାରେ ଘଟଣାସ୍ଥଳରେ ପହଞ୍ଚିଥିଲା ମଞ୍ଚେଶ୍ୱର ଥାନା ପୋଲିସ୍  । ହେଲେ ଛୁଆକୁ ନପାଇ ପୋଲିସକୁ ଖାଲି ହାତରେ ଫେରିବାକୁ ପଡ଼ୁଛି । ମାଆ କୋଳକୁ କେବେ ଫେରିବ ଛୁଆ ?

Leave A Reply

Your email address will not be published.