Webportal

ଗ୍ୟାସ ଟାକିଂ ଫାଟି ଭୟଙ୍କର ଅଗ୍ନିକାଣ୍ଡ

0 431

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତ ଭୋଗରା ଗ୍ରାମରେ ଅାଜି ଅପରାହ୍ନ ପ୍ରାୟ ୩ ଟା ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିବାବେଳେ ଗ୍ରାମର ୪୦ ପରିବାରର ୧୦୦ ରୁ ଉର୍ଦ୍ଧ୍ବ ବଖରା ଘର ଜଳିଯାଇଛି। ଗ୍ରାମର ଛବି ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବାବେଳେ ହଠାତ୍‌ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା ଓ ତାଙ୍କର ୩ ବଖରା ସମେତ ଅନ୍ୟ ମାନଙ୍କର ୧୦୦ ରୁ ଉର୍ଦ୍ଧ୍ବ ବଖରା ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ସମସ୍ତ ପରିବାରର ଜମି ପଟ୍ଟା, ଭୋଟର ପରିଚୟ ପତ୍ର, ଆଧାର କାର୍ଡ଼, ଧାନ, ଚାଉଳ, ପିନ୍ଧା ବସ୍ତ୍ର ସହ ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଧିକାଂଶ ପରିବାର ଦିନ ମଜୁରିଆ ହୋଇଥିବାବେଳେ ସେମାନେ ଇଟା ଭାଟିକୁ ମଜୁରି କରିବା ପାଇଁ ଯାଇଥିବା ଯୋଗୁଁ ଘରୁ କୌଣସି ସାମଗ୍ରୀ ନିଆଁ କବଳରୁ ବାହାର କରି ପାରି ନଥିଲେ। ପ୍ରଚଣ୍ଡ ରୌଦ୍ର ତାପ ସହ ପବନ ଯୋଗୁ ନିଆଁ ଗୋଟିଏ ଚାଳ ରୁ ଆଉ ଗୋଟିଏ ଚାଳକୁ ବ୍ୟାପି ଯାଇଥିଲା। ଖବରପାଇ ଆଠମଲ୍ଲିକ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ପାରି ନ ଥିଲେ। ବହୁ ବିଳମ୍ବରେ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ଆଠମଲ୍ଲିକର ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି। ପଞ୍ଚାୟତ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.